Unknown

 

 

 

 

 

 

 

 

 

 

 

ଅଶ୍ରୁଧାରା

ଶ୍ରୀ ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ

 

ଗଲ କି ଆଗରୁ ସତି, ଅମରଭୁବନ,

ଗଢ଼ିବ ମୋପାଇଁ ତହିଁ ସ୍ଵତନ୍ତ୍ର ଆସନ ।

ମୋହୋ ସମ ହତଭାଗ୍ୟ ସକାଶେ ସେ ସ୍ଥଳେ

ସ୍ଥାନ ନାହିଁ ବୋଲି ଜାଣି ଗଲ କି ଚପଳେ ।

କିପାଁ ଶୁଦ୍ଧ-ପ୍ରେମ-ନୀର ହୃଦୟ-କାସାରେ

ପୂର୍ଣ୍ଣ କରି ଶୁଖାଇ ତା ଦେଲ ଏକବାରେ ।

ଏ ଗୂଢ଼ ସମସ୍ୟା ତବ ତୁମ୍ଭଙ୍କୁ ଗୋଚର,

ବୁଝିବ କି ଅଭାଜନ ଏ ଛାର ପାମର ।

ପ୍ରେମ-ଧନ ଦେଇ ନେଲ କି ବିଚାରି ଚିତ୍ତେ,

ଗଲାବେଳେ ସେ କାରଣ ନ କହି କିଞ୍ଚିତେ ।

ମନେ ଯଦି ଥିଲା ଛାଡ଼ି ଯିବାକୁ ଏସନ,

ଦୁଇ ଦିନ ପାଇଁ କିପାଁ ଭଙ୍ଗୁର ମିଳନ ।

ଏକାକୀ ରହିଲେ, ଦେବି, ତବ ପ୍ରେମ-ଋଣ

ପରିଶୋଧ କରିବାରେ ନ ହେବି ନିପୁଣ ।

ନୈରାଶ୍ୟର ହାହାମୟ ତପ୍ତ ଅଶ୍ରୁଧାରା

ଢାଳୁଥିବି ସିନା ଆହା ଜୀବନଟା ସାରା ।

ଋଣୀ କରି ରଖିବାକୁ ମଣ ଯଦି ସୁଖ,

ରହ ଏକାକିନୀ, ପଛେ ହେଉ ମୋର ଦୁଃଖ ।

ସତ୍ୟ କରି କହୁଅଛି ନୁହ ତୁମ୍ଭେ ଋଣୀ,

ମୁହିଁ ଏକା ଋଣବଦ୍ଧ ଗୁଣବଦ୍ଧ ପୁଣି ।

ଦେଇଅଛି କେତେ ମୁହିଁ ତୁମ୍ଭ ମନେ କ୍ଳେଶ,

ତୁମ୍ଭ ବିନା କେହି ନାହିଁ ସହିବାକୁ ଲେଶ ।

କହିଅଛ, ସତି, ଯେଉଁ ଭବିଷ୍ୟତ ବାଣୀ,

ଭାବି ଭାବି ତାହା ମନ ହେଉଅଛି ହାଣି ।

ଭବାର୍ଣ୍ଣବେ ତବ ପୁଣ୍ୟ ପ୍ରଭାବୁଁ ନ ବୁଡ଼ି,

ଥିଲା ଆଶା ଆସିବାକୁ କୂଳକୁ ବାହୁଡ଼ି ।

ସେ ଆଶା ସମୂଳେ ଏବେ ହେଲା ତିରୋହିତ,

ସନ୍ତାପ-ଅନଳେ ଏବେ ହେଉଛି ଦହିତ ।

ଦେବି, ଦେବଲୋକୁ ଦିବ୍ୟ ଆଲୋକ ଦେଖାଇ

ନେଇଯାଅ ତବ ପାଶେ ସୁମାର୍ଗେ ଚଳାଇ ।

ବିଳମ୍ବ ନ କର ଆଉ ବିଳମ୍ବ ନ କର,

ବିଳମ୍ବ ହୋଇଲେ କାର୍ଯ୍ୟ ହେବଟି ଦୁଷ୍କର ।

ଏକାକୀ ରହିବାଲାଗି ନାହିଁ ତ କାମନା,

ସେ ଦୁଃଖ ଦେବାକୁ, ସତି, ନ କର ବାସନା ।

ତୁମ୍ଭ ବିନା ଭବ-ଦାବେ ପଡ଼ି ଛଟପଟ

ହେଉଅଛି ହେବି ସିନା ଆହୁରି ନିପଟ ।

ଲୁଚି ଶଚୀପୁରେ ଯାଇ ରହିଲ ନ କହି,

ପାଞ୍ଚିଥିଲ ଏହା କେବୁଁ କି ଦୋଷକୁ ବହି ।

ସର୍ବ ଭୋଗାଦିରୁ ଦେଉଥିଲ ସମ ଭାଗ,

ଏବେ ସେହି ସୁଖରୁ କି ବଞ୍ଚିତ ଅଭାଗ୍ୟ ।

ଯଦି ପାର ତବ ଭୋଗୁଁ ଦେଇ କଥଞ୍ଚିତ

କରାଅ କାମନା ପୂର୍ଣ୍ଣ ଯା ଅଟେ ବାଞ୍ଛିତ ।

ଶେଷ ଦେଖାବେଳେ ତବ ଦିବ୍ୟଦୃଷ୍ଟି ଭାବ

ଦେଖି ଏହି ପାପ ଆଖି କରିଅଛି ଠାବ ।

ସେ ଭାବ-ନୀରଧି-ନୀରେ ହୋଇ ମୁଁ ପ୍ଳାବିତ

ପୁନଃ ଦେଖା ଲାଗି ହୋଇଅଛି ଆଶାନ୍ଵିତ ।

ଜଞ୍ଜାଳ-ଜାଲରେ ହୋଇଥିଲେ ମୁଁ ବେଷ୍ଟିତ

ନ ଭୁଲିବି ନ ଭୁଲିବି ତୁମ୍ଭଙ୍କୁ ନିଶ୍ଚିତ ।

ଭାଗ୍ୟବତୀ ମହାସତୀ କେଉଁ ଦୋଷ ଦେଖି

ନୀରବଭାବରେ ଗଲ ଏ ଦୀନେ ଉପେକ୍ଷି ।

ଧୋଇବ କେ ପ୍ରେମ-ନୀରେ ମୋର ପାପପଙ୍କ,

ମଣିବ କେ ସୁଖ ଆଉ ଏ ପାପିର ଅଙ୍କ ।

ପୁଣ୍ୟବତୀ ତବ ପୁଣ୍ୟବଳେ ଏ ଭବର—

ଦୁଃଖ ଜାଣୁ ନ ଥିଲି ମୁଁ କିଞ୍ଚିତମାତର ।

ଆଉ କିଏ ଶୁଣାଇବ ଦୁଃଖହରା ମନ୍ତ୍ର,

ଛଳବଶେ କି ବିଚାରି ହୋଇଛ ସ୍ୱତନ୍ତ୍ର ।

ମାୟାମୋହେ ଦୁଃଖୀ ହେବି ବୋଲି କି ବିଚାରି

ରଖିଥିଲ ଗୁପ୍ତଭାବ କିଛି ନ ପ୍ରଚାରି ।

ତୁମ୍ଭ ସତ୍ୟପ୍ରଭା ବଶେ ଏ ଭବ-କାନନେ

ଫୁଟେ ତବ ଅମରତ୍ୱ ପୁଷ୍ପ କି ଯତନେ ।

ସେ ପୁଷ୍ପସୌରଭେ ମୁଗ୍ଧ ହୋଇ ଦେବଗଣ

ଆସି ନେଲେ ସ୍ଵପୁରକୁ କରି ଆମନ୍ତ୍ରଣ ।

ସେହି ଆମନ୍ତ୍ରଣ ରକ୍ଷା କରିବାର ପାଇଁ

ଯାଇ ଆଉ ନ ଆସିଲ ସବୁ ଭୁଲିଯାଇ ।

ସ୍ଵର୍ଗପୁର ଦେଖି ମର୍ତ୍ତ୍ୟେ ମନ କି ବଳିବ,

କହ ସତେ, ସତି, ଆଉ ଫେରିକି ଆସିବ !

ଦିଶିଯାଉଅଛି ଆହା ଆନନ୍ଦ ବଦନ,

ମିଶିଯାଉ ନାହିଁ ଅପଘନେ ଅପଘନ ।

ହେଲେହେଁ ଅଯୋଗ୍ୟ ମୁହିଁ ନ ଧରି ତା’ ମନେ,

ବରିଲ ଏ ଦୀନହୀନ ଜନେ ପତିପଣେ ।

କି ବିଚିତ୍ର କି ପବିତ୍ର ତୁମ୍ଭର ଚରିତ୍ର,

ସେ ପ୍ରଭାବେ ଅପବିତ୍ର ହୋଇଲା ପବିତ୍ର ।

ଦେବବାଳାଙ୍କର ଶୁଣି ସୁମଧୁର ଗାନ

ମୋର ଶୋକ-ସଙ୍ଗୀତରେ ଡେରିବ କି କାନ ।

ତ୍ରିଦିବସ୍ଥ ସୁଖପ୍ରଦ ପ୍ରାସାଦର ସୁଖ

ଭୁଞ୍ଜି ପାସୋରିଲ, ସତି, ଏ କୁଟୀର ଦୁଃଖ ।

ନନ୍ଦନକାନନ ପୁଷ୍ପ ଛାଡ଼ି ତବ ମନ—

ଭୃଙ୍ଗ କି ଭୁଲନ୍ତା ଦେଖି ଏ ପାପ-ସୁମନ ।

ମନ୍ଦାକିନୀ ସଲିଳରେ ସ୍ନାନ କଲା ପରେ

କିପାଁ ଦୃଷ୍ଟି ଦେବ ମାଟି ତଡ଼ାଗ କୂପରେ ।

ନ ଶୁଣିଣ ସତି ତୁମ୍ଭେ ଦୁନ୍ଦୁଭି ବଜାଉ

ଲୋଡ଼ିବ କାହିଁକି ଭଲା ଢୋଲ ଢାଉଁଢାଉଁ ।

ଦେବମେଳେ କରେ ଯେହୁ ପୀୟୂଷ ଭୋଜନ,

ପାର୍ଥିବ ପଦାର୍ଥେ କିପାଁ ରୁଚିବ ତା’ ମନ ।

ନ ଭ୍ରମି କିପାଇଁ ଦିବ୍ୟ ପୁଷ୍ପକ ସ୍ୟନ୍ଦନେ,

ଅପବିତ୍ର ମର୍ତ୍ତ୍ୟଯାନେ ଛୁଇଁବ କେସନେ ।

କ୍ଷମାଗୁଣେ କ୍ଷମା କର ଏ ଛାର ପାମରେ,

ନାନା ଅପରାଧ କରିଅଛି କୁଭ୍ରମରେ ।

ମୁହିଁ ବଡ଼ ଦୋଷୀ ଅଟେ, ଦେବି, ତୁମ୍ଭଠାରେ,

ଗଲ ଛାଡ଼ି ଦୋଷୀ ବୋଲି ସିନା ଏ ଧରାରେ ।

ମାୟାମୋହେ ଭୁଲି, ସତି, ନ ଚିହ୍ନି ତୁମ୍ଭଙ୍କୁ

ମାଟି ପରି କାଟିଅଛି ନିଜ ଜୀବନକୁ ।

ଦେଇଛି ମୁଁ କେତେ ଅଶ୍ରୁ ତୁମ୍ଭରି ନୟନେ,

ଅର୍ପିଅଛି ନାନା ବାଧା ଅଭୀଷ୍ଟ ସାଧନେ ।

ସେହିଲାଗି ସିନା ଏବେ ପାଉଛି ଏ କଷ୍ଟ,

ସତେ କିବା ସେ ପ୍ରତିଜ୍ଞା ହୋଇଯିବ ନଷ୍ଟ ।

ନାହିଁ ନାହିଁ ପୁଣ୍ୟବଳ ମୁହିଁ ମହାପାପୀ,

ଭାବି ଭାବି ଗତ ସ୍ମୃତି ହେଉଛି ସନ୍ତାପି ।

ମର ଦେହେ ଅଳ୍ପ ଦିନେ କରି ସୁସାଧନା,

ମର୍ତ୍ତ୍ୟୋଦ୍ୟାନେ ରଖିଗଲ-ସତୀତ୍ୱ ବାସନା ।

ସେହି ସ୍ନିଗ୍ଧ ପୁଣ୍ୟ ବାସ ଏବେ ପ୍ରତିଘରେ,

ପ୍ରବେଶି ମୋହୁଛି ଜନେ ସକଳ କାଳରେ !

ଜପ ତପୁଁ ସାର ମଣି ପାତିବ୍ରତ୍ୟ ବ୍ରତ,

ଶ୍ରେଷ୍ଠ ମଣି ପାଳୁଥିଲ ଦୃଢ଼େ ଅବିରତ ।

ଜାଣିଥିଲ ତୁମ୍ଭେ, ସତି, ପତିସେବା ମୂଲ୍ୟ,

ସବୁ ତୁଚ୍ଛ ମଣୁଥିଲ ମଣିଣ ଅତୁଲ୍ୟ ।

ଦେଇଥିଲ, ସତି, ଯାହା ଗଲ ନେଇ ତାହା,

ମାତ୍ର ଥରେ ନ ଦେଖାଇ ତବ ଗମ୍ୟ ରାହା ।

ଗାଇ ଗାଇ ତବଗୁଣ ଏ ପାପ ରସନା,

ହ୍ରାସ କରୁ ମାୟା ମୋହ ବିଚ୍ଛେଦ ବେଦନା ।

ମୂର୍ତ୍ତି ଧରି ଗୋଟି ଗୋଟି ତୁମ୍ଭ ଗୁଣଖ୍ୟାତି

ମୁହୁର୍ମୁହୁଃ ଦିଏ ଦେଖା, ଫାଟିଯାଏ ଛାତି ।

ପାଳୁଥିଲ, ଦେବି, ତୁମ୍ଭେ କେତେ ଓଷାବାର,

ବାହ୍ୟରେ ସଂସାରୀ ତୁମ୍ଭେ ଅନ୍ତରେ ଉଦାର ।

ତୁମ୍ଭଲାଗି ଧର୍ମ ତୁମ୍ଭେ ସଞ୍ଚୁଥିଲ ନାହିଁ,

ଅର୍ଜୁଥିଲ ତାହା ସିନା ଏ ଅଭାଗାପାଇଁ ।

କରୁଥିଲ ସଦା ତୁମ୍ଭେ ପୁଣ୍ୟେ ଅବଗାହ,

ବହୁଥିଲା ଧମନୀରେ ପୁଣ୍ୟର ପ୍ରବାହ ।

ହୁଏଁ ପଛେ ଅକିଞ୍ଚନ ଅଧମ ନିର୍ମାଖୀ,

ସତୀପତି ଗୌରବ ତା’ ପକାଇବ ଢାଙ୍କି ।

ଯେଉଁ ପୁଣ୍ୟଦେଶେ, ସତି, ଅଛ ତୁମ୍ଭେ ରହି,

ମର୍ତ୍ତ୍ୟର ଡାକ କି କେବେ ଶୁଭେ ନାହିଁ ତହିଁ ।

ଶୁଭୁଥିବ ଯେବେ ତେବେ ଶୁଣ ଏକ କଥା,

ନିବେଦିବ ପ୍ରଭୁ ପଦେ ମୋର ମର୍ମବ୍ୟଥା ।

ମୋହୋପାଇଁ ଅଳି କଲେ ତୁମ୍ଭେ ପ୍ରିୟତମା,

କରିବେ ସେ ମୋର ସର୍ବ ଅପରାଧ କ୍ଷମା ।

ଯାଇଛ ଗଚ୍ଛିତ ରଖି ମୋ ପାଶେ ଯେ ରତ୍ନ,

ଯୋଗ୍ୟଟିକି ମୁହିଁ ତାକୁ କରିବାକୁ ଯତ୍ନ ।

ପ୍ରତିଫଳେ ସେହି ରତ୍ନେ ତୁମ୍ଭ ପୁଣ୍ୟସ୍ମୃତି,

ଭାସି ବୁଲେ ଆହା ତହିଁ ତବ ସୌମ୍ୟ ମୂର୍ତ୍ତି ।

ହେବ ସିନା ସେହି ରତ୍ନ ମୋର ଗଣ୍ଠିଧନ,

ତା’ ଦେଖି ଯାପିବି ମୁହିଁ ପଶ୍ଚିମ ଜୀବନ ।

ବିପଦ କଣ୍ଟକମୟ ଉଷ୍ଣ ଭବ-ବନ,

ଅସୁଲଭ ଏଥି ତୁମ୍ଭ ସମାନ ସୁମନ ।

ମହାପୁଣ୍ୟବତୀ ତୁମ୍ଭେ, ସେ ପୁଣ୍ୟବଳରେ

ତେଜିଲ ଶରୀର, ଦେବି, ମର୍ତ୍ତ୍ୟ ବୈକୁଣ୍ଠରେ ।

ଏଥୁ ବଳି କି ସୌଭାଗ୍ୟ ଅଛି ମାନବର,

ଯେଉଁ କ୍ଷେତ୍ରେ ତନୁତ୍ୟାଗ ଇଚ୍ଛନ୍ତି ଅମର ।

ବୋଲନ୍ତି ମଙ୍ଗଳପୂର୍ଣ୍ଣ ବିଧିର ବିଧାନ,

ମାତ୍ର ତାହା ହେଲା ସିନା ମୋହ ଭାଗ୍ୟେ ଆନ ।

ମନ୍ଦ ମଧ୍ୟେ ଥାଏ ଭଲ ଭବ-ମରୁଭୂମେ,

ଥାଏ ସୁଦ୍ଧା ମକରନ୍ଦ ବିଷାକ୍ତ କୁସୁମେ ।

ଆବାଲ୍ୟରୁ ଏ ପ୍ରବାଦ ଶୁଣିଛି ଶୁଣିଛି,

ବୁଝିପାରୁ ନାହିଁ ତାର ସାର୍ଥକତା କିଛି ।

କି ବୁଝିବି, ପ୍ରଭୁ, ତବ ମାୟାର ରହସ୍ୟ,

ତୁମ୍ଭର ମଙ୍ଗଳ ଇଚ୍ଛା ପୂରିବ ଅବଶ୍ୟ ।

ଏ ଉତ୍ତାରୁ ଅଛି ଯାହା ଭାଗ୍ୟେ ବିଶ୍ୱନାହା,

ରହିଲି ପ୍ରସ୍ତୁତ ହୋଇ ଭୁଞ୍ଜିବାକୁ ତାହା ।

ଭେଟ ହେଲା ଯାଏ, ସତି, କରୁଥିବି ହଟ,

ମାତ୍ର ଚିତ୍ତେ କିଞ୍ଚିତେ ତା’ ନ ଘେନିବ କଷ୍ଟ ।

ବିଦାୟ ନେଉଛି ପ୍ରେମ ଆନନ୍ଦ ଚିତ୍ତରେ,

ତବ ଦିବ୍ୟଭାବ ପୋଷି ମୋ ଅନ୍ତର୍ଗତରେ ।

ଯାବତ ଉଇଁବେ ନଭେ ଶଶୀ ତାରା ଈନ,

ନୋହିବ ତାବତ ତବ ସ୍ଵଗୁଣ ବିଲୀନ ।

ମାଗୁଣି ଏତିକି ମାତ୍ର, ଦେବମେଳେ ନିତି

କର ଆଶୀର୍ବାଦ ଭେଟ ହେବାକୁ ଝଟିତି ।

ଭେଟଯାଏଁ ଗୁନ୍ଥୁଥିବି ଅଶ୍ରୁ ମୁକ୍ତାହାର,

ଲେଖୁଥିବି ଲୋତକରେ ଶୋକ-ଉପହାର ।

ଯାହାଲାଗି ଲାଗିଥିଲା ପରୀକ୍ଷା ଅଶେଷ,

ହାୟ ପ୍ରଭୋ ! ଏବେ ତାହା ଭସ୍ମଅବଶେଷ ।

ନ କନ୍ଦାଅ ଆଉ ନେତ୍ରେ ଭରି ଦୁଃଖବନ,

ସୁଖାଶ୍ରୁରେ ପରିଣତ ହେଉ ସେ ବହନ ।

ସନ୍ତାପିତ ପ୍ରାଣବୃକ୍ଷ କୃପାମ୍ବୁ ଅଭାବେ

ଝାଉଁଳି ଯାଉଛି ଏହି ଭବମୋହଦାବେ ।

ଶରଣରକ୍ଷଣବାନା କେବେ ଚପଳରେ

ଉଡ଼ିବ ମହିମାନିଳେ ନୀଳାଦ୍ରି ଶିଖରେ ।

ତୁମ୍ଭର ମହିମା ଶୁଣି ଆସିଅଛି ଧାଇଁ,

ନୈରାଶ୍ୟ-ସ୍ରୋତରେ ହରି, ନ ଦିଅ ଭସାଇ ।

ନୁହ ନିଷ୍କରୁଣ ଆଉ ଏ ଛାର ପାମରେ,

ହୀନମାନ ହେବି ସିନା ବିଭ୍ରମି ଭ୍ରମରେ ।

ଆହା ବୋଲିବାକୁ ପ୍ରଭୁ, କେହି ନାହିଁ ସାହା,

ଭରସା କେବଳ ମୋର ତୁମ୍ଭେ ଚଉବାହା ।

ତୁମ୍ଭେ ମୋ ଭରସା ଆଶା ମୋକ୍ଷର କାରଣ

ବୋଲି ଭଜେଁ ନ ଭୁଲିଣ ତବ ଶ୍ରୀଚରଣ ।

ଅତି ବଡ଼ ପାମର ମୁଁ ଅଟଇ ପତିତ,

ପତିତପାବନବାନା କିପାଁ ବା ସ୍ଥଗିତ ।

ଅଜାମିଳ ପୁଣି ଗଜଉଦ୍ଧାର ଚରିତ

ହେଜିଣ ମୁଁ ଆଶ୍ଵାସନା ଲଭିଛି କିଞ୍ଚିତ ।

ପୂର୍ଣ୍ଣ ଆଶା କରିଛି ସେ ତୃଷିତ ଚାତକ,

ନାଶିବ ପିପାସା ପିଇ କରୁଣା-ଉଦକ ।

କ୍ଷମାମୟ, ମାଗେ ତବ ପଦେ କ୍ଷମାଭିକ୍ଷା,

ଦୀନହୀନେ ନ କର ଏ କଠୋର ପରୀକ୍ଷା ।

ଶରଣରକ୍ଷଣ ଆହେ ପତିତପାବନ,

ତୁମ୍ଭ ବିନା କେ କରିବ ପତିତ ପାବନ ।

ସ୍ୱୟମ୍ଭୂ ଈଶ୍ଵର ଗତି ମୁକ୍ତିର ଆଧାର,

ଭବାର୍ଣ୍ଣବ ତରଣରେ ତୁମ୍ଭେ କର୍ଣ୍ଣଧାର ।

ସଂସାର-ସାଗରେ ପଶି ଭାସୁଛି ଆକୁଳେ,

କରୁଣା-ତରଣୀ ଦେଇ ପହୁଞ୍ଚାଅ କୂଳେ ।

କରୁଣା-ବରୁଣାଳୟ ଅଗତିର ଗତି,

ନିରାଶ୍ରୟର ଆଶ୍ରୟ ଜଗତର ପତି ।

ସତ୍ଵର ଏ ମୋର ଜୀର୍ଣ୍ଣ ଶୀର୍ଣ୍ଣ କଳେବରେ

ଦେଇ ନବ ବଳ ଧୈର୍ଯ୍ୟ ଖଟାଅ ପୟରେ ।

ଫୁଟୁ ହୃଦ-ବନେ ଭକ୍ତି-ସୁବାସ-ମଲ୍ଲିକା,

ସାଧୁଗଣେ ଅନୁକ୍ଷଣେ ହେଉ କିଣା ବିକା ।

ନିୟତି ନିୟମ ଆଉ ନିଜ ଅଧିକାର

ତୁମ୍ଭେ ଥାଉଁଥାଉଁ କିପାଁ କରିବ ବିସ୍ତାର ।

କିପାଁ ଭଲା ଥାଉଁଥାଉଁ ତୁମ୍ଭ ସମ ପିତା,

ହୃଦୟ-କାନନେ ତୀବ୍ରେ ଦହେ ଚିନ୍ତା-ଚିତା ।

ହେଲିଣି ମୁଁ ଅବସନ୍ନ ଭୁଲି ଆତ୍ମଜ୍ଞାନ,

ଆଉ ନ ଭୁଲାଇ ପ୍ରଭୁ ଦିଅ ଶୁଦ୍ଧ ଜ୍ଞାନ ।

Image